Unknown

 

 

 

 

 

 

 

 

 

ଗୋପୀସନ୍ଦେଶ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(କବିଙ୍କର ଏହା ଏକ ଉତ୍କୃଷ୍ଟ ଚଉତିଶା । ଯୁଗ ଯୁଗ ଧରି ଭଗବାନ ଓ ଭକ୍ତ ମଧ୍ୟରେ ନିବିଡ଼ ସଂପର୍କ ରହିଆସିଛି । ଦ୍ଵାପର ଯୁଗରେ ଶ୍ରୀକୃଷ୍ଣଙ୍କ ସେବା କରିବା ପାଇଁ ଭକ୍ତମାନେ ଗୋପୀ ରୂପେ ଗୋପପୁରରେ ଜନ୍ମ ନେଇଛନ୍ତି । ମଥୁରାପୁରକୁ କୃଷ୍ଣ ଯିବା ପରେ ଗୋପାଙ୍ଗନାମାନେ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । କୃଷ୍ଣଙ୍କ କଥାକୁ ସୁମରଣା କରି ବ୍ୟାକୁଳ ହୋଇଛନ୍ତି । ଉଦ୍ଧବଙ୍କୁ ଗୋପୀମାନେ ନିଜ ମନର ବେଦନା, ବିରହ ଭାବକୁ କହିଛନ୍ତି । ଉଦ୍ଧବ ଗୋପୀମାନଙ୍କୁ ବୋଧ କରି ମଥୁରା ଯାତ୍ରା କରିଛନ୍ତି । ରାଧା-କୃଷ୍ଣଙ୍କ ଅପୂର୍ବ, ଅଲୌକିକ ପେମଲୀଳା ଚଉତିଶାର ମୂଳ ବିଷୟବସ୍ତୁ ।)

(ଦିଶ-ପରଜରାଗେ)

କହନ୍ତି ସକଳ କଳାକର ମୁଖୀ

ଗୋପୀମାନେ ଉଦ୍ଧବଙ୍କୁ

କହିବଟି ତୁମ୍ଭ କରତବ କୃପା

ସିନ୍ଧୁନାମ ମାଧବଙ୍କୁ ।୧।

ଖଳ କଂସ ବୋଲେ ମଥୁରା ଯାଇ ସେ

ଆସିବାକୁ ବୋଲି ଥେଲେ

ଖଣ୍ଡ ମଣ୍ଡକୁ ଖସି ପଡ଼ିଲା ଖଚର

ନଦୀ ପରାଏ ତ ହେଲେ ।୨।

ଗୋବର୍ଦ୍ଧନ ଧରା ଧର ଧରଙ୍କୁତ

କହିବଟି ଏ ପ୍ରସଙ୍ଗ

ଗୁରୁ ଯଉବନ ଗଡ଼ିଲା ପ୍ରାୟେ ତ

ପୁରୁଷଙ୍କ ପ୍ରୀତି ରଙ୍ଗ ।୩।

ଘେନି କହୁଥାନ୍ତି ନୂଆ ନୂଆଯାକ

କୃପଣକୁ ଲୋଭୀ ପ୍ରାୟେ

ଘୃଣାକ୍ଷରେ ପ୍ରେମ ରସକୁ ପାଇଲେ

କରନ୍ତି ଆନ ଉପାୟେ ।୪।

ନାଗରୀମାନଙ୍କ କଟାକ୍ଷକୁ ଲକ୍ଷ୍ୟ

ନାଗରମାନଙ୍କ ବୋଲ

ନାଶ କରିଧୈର୍ଯ୍ୟ ଦୁଃଖ ନ ଘେନନ୍ତି

ଦିଅନ୍ତି ଅନଙ୍ଗ ହାଲ ।୫।

ଭାବାର୍ଥ- (୧-୫) ସମସ୍ତଗୋପୀ ଉଦ୍ଧବଙ୍କୁ କହିଲେ- ହେ ଉଦ୍ଧବ, ତୁମ କପଟୀ କୃପାସିନ୍ଧୁ, ମାଧବଙ୍କୁ କହିବ- ଦୁଷ୍ଟ କଂସର ବୋଲରେ ସେ ମଥୁରା ଗଲେ । ଆସିବାକୁ କହିଥିଲେ, ଆସିଲେ ନାହିଁ । ଖଣ୍ଡ ମଣ୍ଡଳରୁ ଖଚରମାନେ ଖସିଲେ । ନଦୀପ୍ରାୟ ସେ ହେଲେ । ହେ ଉଦ୍ଧବ, ଗିରିଟେକା କୃଷ୍ଣଙ୍କୁ ଏ ପ୍ରସଙ୍ଗ କହିବ । ଗୁରୁଯଉବନ ଗଡ଼ିଗଲା ପରି ପୁରୁଷଙ୍କର ପ୍ରେମରଙ୍ଗ ଗଡ଼ିଯିବ ।

ନୂଆ ନୂଆରେ ସେ କୃପଣକୁ ଲୋଭୀ ପ୍ରାୟ କହୁଥିଲେ- ପ୍ରେମରସକୁ ପାଇଲେ ଅନ୍ୟ ଉପାୟ ଚିନ୍ତା କରନ୍ତି । ନାଗରୀମାନଙ୍କ କଟାକ୍ଷକୁ ଲକ୍ଷ୍ୟ କରି ନାଗରମାନେ ବୋଲ ମାନନ୍ତି । ସେମାନଙ୍କ ଧୈର୍ଯ୍ୟକୁ ବିନାଶ କରନ୍ତି, ଦୁଃଖକୁ ବୁଝନ୍ତି ନାହିଁ । ଦେହ ଓ ମନକୁ ଦୁଃଖ ଦେଇଥା’ନ୍ତି ।

 

ଚାହୁଁ ଚାହୁଁ ନାଶ କୁହୁଡ଼ି ପରାୟେ

ଚିତ୍ତଧନ ଚୋରି କଲେ

ଚଉବର୍ଗ ଦାନୀ ହୋଇତ ଆମ୍ଭଙ୍କୁ

ଚିନ୍ତା ଦାନ ଦେଇ ଗଲେ ।୬।

ଛଇଳ ପୀରତି ଭ୍ରମରଙ୍କ ରୀତି

ଭୋଗ ହେବା ଯାଏ ଥାଇଁ

ଛାଇ ପରାୟେ କ୍ଷଣକେ ଆନ ହୋଏ

ଆଉ ଲୋଡ଼ିଲେ ନ ପାଉ ।୭।

ଯାହା କହୁଥାନ୍ତି ଯୁବା ଯୁବତୀଙ୍କି

ରବି ପଦ୍ମ ଲକ୍ଷ୍ୟ ଦେଇ

ଯଉବନ ଜଳୁ ଅନ୍ତର ହୋଇଲେ

କେ କାହାକୁ ପଚାରଇ ।୮।

ଝିମିଟେ ଆମ୍ଭ ଦୁଃଖ ଦେଖୁ ନଥିଲେ

ନେତ୍ର କପାଳ ପରାୟେ

ଝସକେତୁ ଶରେ ଦହିହେଲୁ ଏବେ

ଦୟା ନ ବସିଲା ଦେହେ ।୯।

 

ନଦୀ ତଟ ଆଶ୍ରେ କଲା ତରୁ ଯେହ୍ନେ

ଅଳପକେ ନାଶ ଯାଇ

ନିର୍ଲଜ୍ଜ ଗୋପୀ ସେହିମତି ହୋଇଲୁ

ନନ୍ଦନନ୍ଦନକୁ ପାଇ ।୧୦।

ଭାବାର୍ଥ- (୬-୧୦) ଦେଖୁଁ ଦେଖୁଁ କୁହୁଡ଼ି ପରି ସେ ଆମ ଚିତ୍ତ ଧନ ଚୋରି କରିଦେଲେ । ଚଉବର୍ଗ (ଧର୍ମ, ଅର୍ଥ, କାମ, ମୋକ୍ଷ) ଦାନୀ ହୋଇ ଆମକୁ କେବଳ ଦୁଃଖଚିନ୍ତା ଦେଇଗଲେ । ଭ୍ରମର ପ୍ରେମ ଯେମିତି କପଟ ପୂର୍ଣ୍ଣ କୃଷ୍ଣଙ୍କ ପ୍ରେମ ସେମିତି । ଭୋଗ ଯାଏଁ କେବଳ ଏହାଥାଏ । ଛାଇ ପରି ଘଡ଼ିକୁ ଘଡ଼ି ଛାଡ଼ିଯାଏ । ଆଉ ଖୋଜିଲେ ମଧ୍ୟ ମିଳି ନ ଥାଏ । ଯୁବା ପୁରୁଷ ଓ ଯୁବତୀଙ୍କୁ ଲକ୍ଷ୍ୟ କରି କବି, ପଣ୍ଡିତମାନେ ରବି ଓ ପଦ୍ମ କହିଥା’ନ୍ତି । ଯୌବନଜଳ ମଧ୍ୟରୁ ଅନ୍ତର ହୋଇଗଲେ କିଏ କାହାକୁ ପଚାରୁଛି ? ଚକ୍ଷୁ କପାଳକୁ ନ ଦେଖିଲା ପରି କ୍ଷଣିକ ପାଇଁ ମଧ୍ୟ କୃଷ୍ଣ ଆମ ଦୁଃଖ ଦେଖୁ ନ ଥିଲେ । କନ୍ଦର୍ପର ଶରରେ ଏବେ ଦହି ହେଉଛୁ, ତଥାପି ତାଙ୍କ ମନରେ ଟିକିଏ ହେଲେ ଦୟା ବସୁନାହିଁ ।

 

ନଦୀ ତଟକୁ ଆଶ୍ରା କରି ବୃକ୍ଷ ରହିଥାଏ; କିନ୍ତୁ ସାମାନ୍ୟ ବଢ଼ି ଆସିଲେ ନାଶ ଯାଏ । ଆମେ ନିର୍ଲଜ୍ଜ ଗୋପୀମାନେ କୃଷ୍ଣଙ୍କୁ ଆଶ୍ରା କରି ସେମିତି ହେଲୁ ।

 

ଟେକ ମାତ୍ର ଅଛି ଗୋପୀନାଥ ବୋଲି

ଚନ୍ଦ୍ର କଇତବ ପ୍ରାୟେ

ଟିକାଏ ଅନ୍ତର ହୋଇଲେ ଏକା ସେ

କୁବୁଜାକୁ ଯୋଗ ହୋୟେ ।୧୧।

ଠାଠିକ ଜଣ ଜଣକେ କହୁଥାନ୍ତି

ତୁମ୍ଭର ସିନା ଏ କାୟେ

ଠାବ କଲୁ ସବୁ ପ୍ରକାରେ ମହେଶ

ମାଳୀ ଜଳଘଟ ପ୍ରାୟେ ।୧୨।

ଡିମ୍ବ ପ୍ରତିପାଳି କାହିଁରେ ନୋହିଲୁ

କାକ ପ୍ରାୟେ ଶ୍ରମ ହେଲା

ଡାଳେ ବସିଲା ରାବିଲା ଶୁଆ ପ୍ରାୟେ

ସେ ବଚନ କାହିଁ ଗଲା ।୧୩।

ଢମ କହି କହି ସବୁ ନାଶ କଲେ

ଏବେ ହେଁ ସେହି ପ୍ରସଙ୍ଗ

ଢାଳେ ଜାଣିଲୁ ଢମିଆ ମାନଙ୍କର

ବୋଲ ସମୁଦ୍ର ତରଙ୍ଗ ।୧୪।

ଇନ୍ଦ୍ରଜାଲିକ ପ୍ରାୟେ କେତେ ପ୍ରକାରେ

କେତେ କଥା ଦେଖାଇଲେ

ଆନ କରି ସବୁ ପ୍ରକାରେ ସେ ମାୟା

ମନରେ ରଖାଇଲେ ।୧୫।

 

ଭାବାର୍ଥ- (୧୧-୧୫) ଚନ୍ଦ୍ରରେ କଳଙ୍କ ଥିଲେ ମଧ୍ୟ ତାଙ୍କର ଯେତିକି ସୁଷମା ଅଛି, ସେମିତି କୃଷ୍ଣଙ୍କ ପାଖରେ କପଟତା ଥିଲେ ମଧ୍ୟ ଗୋପୀନାଥ ଭାବରେ ତାଙ୍କର ଟେକ ଅଛି । ତାଙ୍କ ଠାରୁ ଟିକିଏ ଅନ୍ତର ହୋଇଗଲେ କୁବୁଜୀକୁ ସ୍ନେହ କରିବେ । ଜଣେ ଅନ୍ୟ ଜଣକୁ କହୁଛି, ଏ ଶରୀର ସିନା ତୁମ୍ଭର, ଆମେ ଯାହା ଜାଣିଛୁ ଶିବ ଓ ମାଳୀ ପୂଜକ, ଜଳଘଟ ପ୍ରାୟେ ତୁମ୍ଭେ ଏକ । ଡିମ୍ବକୁ ପାଳିବାଟା ସାର ହେଲା । ଆମେ କୁଆଡ଼ର ହେଲୁନାହିଁ । କାଉର ପରିଶ୍ରମ ପରି ସାର ହେଲା । ଡାଳରେ ବସି ଭାବୁଥିବା ଶୁଆ ପରି କହିବାଟା ବୃଥା ହେଲା । ବଡ଼ କଥା କହି କହି ସବୁ ନାଶ କଲେ । ଏବେ ମଧ୍ୟ ସେଇ ପ୍ରସଙ୍ଗ ରହିଛି । ଏହାକୁ ସମୁଦ୍ରର ତରଙ୍ଗପ୍ରାୟ ମନରେ ଭାବ ।

 

କୃଷ୍ଣଙ୍କ ମାୟା, କପଟତାକୁ କିଏ ବା ବୁଝିପାରିବ ? ଇନ୍ଦ୍ରଜାଲିକ ପରି କେତେ ପ୍ରକାର ମାୟା, କେତେ କଥା ଦେଖାଇଲେ । ସବୁ ପ୍ରକାର ମାୟାକୁ ଆଣି ଆମ ମନ ମଧ୍ୟରେ ରଖାଇଲେ ।

 

ତଇଳ ବିନ୍ଦୁ ପାଣିରେ ପଡ଼ି ଯେହ୍ନେ

ବେଗେ ବିସ୍ତାର ଭବି

ତାହାଙ୍କ ପହିଲି ପ୍ରୀତି ସେହି ମତି

ପଛକୁ ଶୁଖିଲା ନଈ ।୧୬।

ଥିଲାକୁ କିଛି ବାସନା ଫୁଲ ପ୍ରାୟେ

ତାଙ୍କ ଶ୍ରୀଅଙ୍ଗ ଛୁଇଁଲୁ

ଥୋକାଏ କାଳ ଭୋଗ ହୋଇ ଉଲାଗି

ମାଳ ପରାୟେ ହୋଇଲୁ ।୧୭।

ଦଇବେ ପୁରୁଷଙ୍କ ପ୍ରୀତି ଭ୍ରମର

ପ୍ରାୟେ ପଛକୁ ପ୍ରମାଦ

ଦଶ ଚତୁର ଲୋକରେ ଲୋକ ହେବ

ବୋଲିବ ତାଙ୍କ ପ୍ରମାଦ ।୧୮।

ଧରାଧରକୁ ଅଗସ୍ତି ଭଣ୍ଡିଯାଇ

ଦକ୍ଷିଣେ ରହିଲା ପ୍ରାୟେ

ଧରଣୀଧର ସେହି ମତି ଆମ୍ଭଙ୍କୁ

କରିଣ ଗଲେ ଥୋକାୟେ ।୧୯।

ନୂଆ ନୂଆ ଯାକ ନମ୍ରତା ହୋଅନ୍ତି

ଗୁଣ ଦେଲା ଧନୁ ପ୍ରାୟେ

ନତନୁ ସମ୍ପତ୍ତି ଭୋଗକୁ ପାଇଲେ

ନଜର ହିଁ ଆନ ହୋଏ ।୨୦।

ଭାବାର୍ଥ- (୧୬-୨୦) ତେଲ ଟୋପାଏ ପାଣିରେ ପଡ଼ିଲେ ଯେମିତି ଶୀଘ୍ର ବିସ୍ତାର କରିଥାଏ, ସେମିତି କୃଷ୍ଣଙ୍କ ପ୍ରଥମ ପ୍ରୀତି ପ୍ରଥମେ ବିସ୍ତାର କରି ପଛେ ଶୁଖିଲା ନଈ ପରି ଖାଲି ହୋଇଯାଏ । ବାସନା ଫୁଲ ପ୍ରାୟ ତାଙ୍କ ଅଙ୍ଗ ଥିବା ହେତୁ ତାଙ୍କୁ ଛୁଇଁଲୁ । କିଛି କାଳ ଭୋଗ କରି ଶୁଖିଲା ମାଳ ପରି ହୋଇଗଲୁ । ଦଇବରେ ପୁରୁଷଙ୍କ ପ୍ରେମ ଭ୍ରମର ସଦୃଶ । ଏହି ପ୍ରେମରେ ପ୍ରଥମେ ଆନନ୍ଦ ସିନା ଅଛି, ପଛେ ବିପଦ ଅଛି । ଚଉଦ ଭୁବନରେ ଲୋକେ ଏହାକୁ ପ୍ରମାଦ କହିବେ ।

ବିନ୍ଧ୍ୟପର୍ବତକୁ ଅଗସ୍ତି ଋଷି ଭଣ୍ଡି କରି ଦକ୍ଷିଣରେ ଯାଇ ରହିଲେ । ଆଉ ଫେରିଲେ ନାହିଁ । ସେହିପରି କୃଷ୍ଣ ଆମ୍ଭଙ୍କୁ ମିଥ୍ୟା କହି ମଥୁରାରେ ଯାଇ ରହିଛନ୍ତି । ନୂଆ ନୂଆରେ ସମସ୍ତେ ଭଲ ଦେଖାଇ ହୁଅନ୍ତି; ଆଦର କରନ୍ତି ବା ନମ୍ର ହୁଅନ୍ତି । ଗୁଣ ଦେଲା ଧନୁ ପରି ନଇଁ ପଡ଼ନ୍ତି; କିନ୍ତୁ ନୂଆ ତନୁ ସମ୍ପତ୍ତି ଭୋଗକୁ ପାଇଲେ ଦୃଷ୍ଟି ଅନ୍ୟ ଆଡ଼େ ଚାଲିଯାଏ ।

ପୂରୁଥାଇ ପୁର ପାଦପଦ୍ମ ଚିହ୍ନେ

ଯେହ୍ନେ ବୈଷ୍ଣବଙ୍କ କାୟେ

ପକାଇ ଦେଇ ପାଖକୁ ଆଣୁଥାଉ

ଖେଳିଲା ସାରଣୀ ପ୍ରାୟେ ।୨୧।

ଫାଟି ନଗଲା ହୃଦୟ ପୁଣି ବିହି

କହିବାକୁ ଏହା କଲା

ଫଳଯାଇ ୟେବେ କୃଷିକ ପରାୟେ

ଶ୍ରମ ମାତ୍ରକ ରହିଲା ।୨୨।

ବହୁତ ସଙ୍କଟୁ ରକ୍ଷା କରି ଶୋକ

ସମୁଦ୍ରେ ମେଲିଲେ ଯହୁଁ

ବାରୁଣୀ ସ୍ନାନ କଲା ପ୍ରାୟେ କିଛି ହିଁ

କାରଣ ନୋହିଲା ତହୁଁ ।୨୩।

ଭୋଜନ ବିନୁ ଭୋଗୀ ମନ ଯେମନ୍ତ

ସୁବେଶେ ନୋହଇ ତୋଷ

ଭାବଗ୍ରାହୀ ଭଣ୍ଡି ଗଲାଦିନୁ ସବୁ

ଭାବଯାକ ହେଲା ବିଷ ।୨୪।

ମହାପ୍ରଭୁଙ୍କ ଶ୍ରୀମୁଖ ଯା ଶୁଣିଛ

ବେଗେ କହି ଆମ୍ଭ ପାଶ

ମହେଶ ଅଙ୍ଗ ଗରଳ ଜ୍ୱାଳା ବସୁ

ନ୍ଧରାଜଳେ ହୋୟେ ନାଶ ।୨୫।

ଭାବାର୍ଥ- (୨୧-୨୫) କୃଷ୍ଣଙ୍କ ପାଦପଦ୍ମ ଚିହ୍ନ ବୈଷ୍ଣବଙ୍କ ହୃଦୟରେ ରହିଥିବା ଭଳି ଘର ମଧ୍ୟରେ ପୂରି ଉଠୁଥାଏ । ସାରଣୀ ଖେଳିବା ପରି ତାକୁ ପାଖକୁ ଆଣୁଥାଉ । ରେ ବିଧାତା, ହୃଦୟ କାହିଁକି ଫାଟି ଯାଉନି ? ଶେଷରେ ଏଇୟା କହିବାକୁ ଥିଲା ? କୃଷକର ଫଳସବୁ ନଷ୍ଟ ହୋଇ ପରିଶ୍ରମ ବୃଥା ହେଲା ପ୍ରାୟ ଏଇୟା ଆମ କପାଳରେ ଘଟିଲା । ଅନେକ ବିପଦରୁ ସେ ରକ୍ଷା କରିଛନ୍ତି । ଏବେ ଶୋକ ସମୁଦ୍ରରେ ଆମକୁ ପେଲି ଦେଇଛନ୍ତି ।

ବିନା ଭୋଜନରେ ଭୋଗୀର ମନ ଅସ୍ତବ୍ୟସ୍ତ ହୋଇପଡ଼େ । କୌଣସି ବେଶଭୂଷାରେ ତା’ର ମନ ଲାଗେ ନାହିଁ । ସେମିତି ଭାବଗ୍ରାହୀ କୃଷ୍ଣ ଆମକୁ ଭଣ୍ଡି ଦେଇ ମଥୁରାପୁରକୁ ଗଲା ଦିନରୁ ଆମର ସବୁ ଭାବ ବିଷ ହୋଇଯାଇଛି । ମହାପ୍ରଭୁଙ୍କ ଶ୍ରୀମୁଖରୁ ତୁମେ ଯାହା ଶୁଣିଛି, ସେ ସବୁକୁ ଶୀଘ୍ର ଆମରି ଆଗରେ ପ୍ରକାଶ କର । ଏହା ଶୁଣିଲେ ଶିବଙ୍କ ଶରୀରର ବିଷ ଜ୍ୱାଳା ବସୁନ୍ଧରା ଜଳରେ ନାଶ ଗଲାପରି ଆମ ଦୁଃଖ ଦୂର ହେବ ।

ଜୀବ ଥାଉଁ କାମ ଅନଳେ ଜଳୁଛୁଁ

ସଗର ପୁଅଙ୍କ ପ୍ରାୟେ

ଜଗମୋହନ କୃଷ୍ଣ ଗଙ୍ଗା ବାହାରେ

ନାହିଁ ଶୀତଳ ଉପାୟେ ।୨୬।

ରାଜୀବ ଲୋଚନ ଶ୍ରୀମୁଖ ଚନ୍ଦ୍ରମା

ଦେଖିବା ଭରସା ଥିଲା

ରଙ୍କ ରଜା ହେବା କାମନା ପରାୟେ

ବଚନରେ ଭୋଗ ହେଲା ।୨୭।

ଲାବଣ୍ୟନିଧି ବିନୁ ମନ ଉଡ଼ୁଛି

ବାତ ଚକ୍ର ପ୍ରାୟେ ହୋଇ

ଲୋକଲାଜକୁ ଦେହ ମାତ୍ର ଧରିଛୁଁ

ଅଦେହ-ଦଣ୍ଡକୁ ସହି ।୨୮।

ବରଜ ନାରୀଙ୍କ ବିକଳ ଦେଖିଣ

ଉଦ୍ଧବ ପ୍ରବୋଧ କରି

ବୋଇଲେ ତୁମ୍ଭ ତାହାଙ୍କ ପ୍ରୀତିନୀର

ଖିରରୁ ଅଭେଦ ପରି ।୨୯।

ସେହି ତ ତୁମ୍ଭଙ୍କୁ ହୃଦେ ଘେନିଛନ୍ତି

ତୁମ୍ଭର ସେହି ସଦୃଶ

ସଲିଳ କାଚ ଘଟରେ ଥିଲା ପ୍ରାୟେ

ହୋଇ ସେ ଅଛି ପ୍ରକାଶ ।୩୦।

 

ଭାବାର୍ଥ- (୨୬-୩୦) ଜୀବ ଥାଉଁ ଥାଉଁ ସଗର ରାଜାଙ୍କ ପୁଅଙ୍କ ପରି ଆମେ କାମାନଳରେ ଜଳୁଛୁ । କୃଷ୍ଣଙ୍କ ପରି ଗଙ୍ଗା ଛଡ଼ା ଅନ୍ୟ କେହି ଏ ଅନଳକୁ ଶୀତଳ କରିପାରିବ ନାହିଁ-। ରାଜୀବଲୋଚନ କୃଷ୍ଣଙ୍କ ମୁଖଚନ୍ଦ୍ରଙ୍କୁ ଦେଖୁବା ଇଚ୍ଛା ଥିଲା । ଭିକାରି ରାଜା ହେବା ଇଚ୍ଛା କଲା ପରି କେବଳ ଭାବନାରେ ରହିଗଲା । ଲାବଣ୍ୟନିଧି ବିନା ମନ ବ୍ୟାକୁଳ ହୋଇ ପଡ଼ୁଛି । ବାତଚକ୍ର ପ୍ରାୟ ହେଉଛି । ଲୋକଲଜ୍ଜା ଭୟରେ କେବଳ (ଅଦେହ) କନ୍ଦର୍ପର ଦଣ୍ଡକୁ ସହିଯାଉଛୁ ।

 

ବ୍ରଜପୁର ନାରୀଙ୍କ ଦୁଃଖ ଦେଖି ଉଦ୍ଧବ ସେମାନଙ୍କୁ ପ୍ରବୋଧନା ଦେଲେ । କହିଲେ, କୃଷ୍ଣ ଓ ତୁମ୍ଭମାନଙ୍କର ପ୍ରୀତି ଭାବ କ୍ଷୀର-ନୀର ସଦୃଶ ଅଭେଦ ସଂପର୍କ । ସେ ତୁମକୁ ହୃଦୟ ମଧ୍ୟରେ ଧାରଣ କରିଛନ୍ତି ଓ ତୁମ୍ଭେମାନେ ମଧ୍ୟ ତାଙ୍କୁ ହୃଦୟ ଓ ମନରେ ଧରିଛ । କାଚପାତ୍ରରେ ଜଳ ଥିବା ପରି ତାହା ପ୍ରକାଶିତ ହେଉଛି ।

 

ଶୂନ୍ୟ ଦ୍ରବ୍ୟ ସେ ସବୁଠାରେ ସମାନ

ବନଫୁଲ ବାସ ପ୍ରାୟେ

ସେହି ରୂପେ ଖୋଜି ଯେ ଘେନି ପାରଇ

ତାହାରି ସିନା ସେ ହୋୟେ ।୩୧।

ଶାରୀ ଶୁକ ପକ୍ଷୀ କାହାରି ନୋହନ୍ତି

ଯେ ଘେନି ପାଳେ ତାହାର

ଶ୍ୟାମ ସୁନ୍ଦର ଚରିତ ସେହିମତି

ହୃଦରେ ଭାବନା କର ।୩୨।

ହଟି କର ହଟ ହାଟକ ପ୍ରାୟେ ସେ

ହାଥରେ ଥେଲେ ନ ଥାଇ

ହୃଦେ ଭାବୁଥାଅ ଭଗତ ବନ୍ଧୁ ସେ

ଭାବିଲେ ତାହାଙ୍କୁ ପାଇ ।୩୩।

କ୍ଷୋଭ ଛଡ଼ାଇ ଗୋପୀଙ୍କି ବୋଧ କରି

ଉଦ୍ଧବ ମଥୁରା ଗଲେ

କ୍ଷେମେ ଦୀନକୃଷ୍ଣ ବୋଲେ ସଭାସଦ

ପ୍ରାୟେ କୃଷ୍ଣଙ୍କୁ କହିଲେ ।୩୪।

ଭାବାର୍ଥ- (୩୧-୩୪) ସେ ଶୂନ୍ୟ, ସବୁଠାରେ ବିଦ୍ୟମାନ । ବନଫୁଲ ବାସିବା ପରି ସେ ଚତୁର୍ଦ୍ଦିଗରେ ସୁବାସିତ । ସେହି ରୂପରେ ଯିଏ ତାଙ୍କୁ ଖୋଜିବ, ସେ ନିଶ୍ଚିତ ଭାବେ ପାଇବ ଓ ସେ ତାହାର ହେବେ । ଶୁଆଶାରୀ ପକ୍ଷୀ- କେହି କାହାର ନୁହଁନ୍ତି, ଯିଏ ଯାହାକୁ ପାଳିଲା, ତାହାର ହେଲା । ଶ୍ୟାମସୁନ୍ଦରଙ୍କ ଚରିତ ସେମିତି- ଏହାକୁ ହୃଦୟ ମଧ୍ୟରେ ଭାବନା କର । ହଟିକର ସେ ହାଟକ ପ୍ରାୟ । ହାତରେ ଥିଲେ ମଧ୍ୟ ନ ଥିଲା ପରି । ସେ ଭକ୍ତର ବନ୍ଧୁ । ତାଙ୍କୁ ହୃଦୟ ମଧ୍ୟରେ ଭାବନା କଲେ ନିଶ୍ଚୟ ପାଇବ । ଗୋପୀଙ୍କୁ ବୋଧ କରି, ତାଙ୍କ ମନ ମଧ୍ୟରୁ ଅଭିମାନ ଛଡ଼ାଇ ଉଦ୍ଧବ ମଥୁରାପୁରକୁ ଚଳିଗଲେ ଓ କୃଷ୍ଣଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲେ ।

Image